ଛତିଶଗଡ଼ ରାଜ୍ୟ ଭାରତୀୟ ଜନତା ପାର୍ଟି ପକ୍ଷରୁ ଓଡ଼ିଶା ନିର୍ବାଚନ ପାଇଁ ନିଯୁକ୍ତ ସହ- ପ୍ରଭାରୀ ଏବଂ ରାୟପୁର ନଗର ଉତ୍ତରର ବିଧାୟକ ପୁରନ୍ଦର ମିଶ୍ର କହିଛନ୍ତି। କୁଚିଣ୍ଡା ଠାରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାୟଙ୍କ ସହିତ ଏକ ବିଶାଳ ନିର୍ବାଚନୀ ଜନସଭାକୁ ସମ୍ବୋଧନ କରି ଶ୍ରୀ ମିଶ୍ର, ନବୀନ ପଟ୍ଟନାୟକଙ୍କର ବିଜୁ ଜନତା ଦଳ ସରକାର ଓଡ଼ିଶାରେ “ଏଇଟ ପିଏମ୍- ନୋ ସିଏମ୍” ଶାସନ ଚଳାଇଥିବା ଦର୍ଶାଇଛନ୍ତି।
Raipur/bhubaneswar. ରାଜ୍ୟରେ ଏବେ ଚାଲିଥିବା “ଏଇଟ ପିଏମ୍ – ନୋ ସିଏମ୍” ଶାସନକୁ ତୁରନ୍ତ ହଟାଯିବାର ଆବଶ୍ୟକତା ଥିବା ଛତିଶଗଡ଼ ରାଜ୍ୟ ଭାରତୀୟ ଜନତା ପାର୍ଟି ପକ୍ଷରୁ ଓଡ଼ିଶା ନିର୍ବାଚନ ପାଇଁ ନିଯୁକ୍ତ ସହ- ପ୍ରଭାରୀ ଏବଂ ରାୟପୁର ନଗର ଉତ୍ତରର ବିଧାୟକ ପୁରନ୍ଦର ମିଶ୍ର କହିଛନ୍ତି। କୁଚିଣ୍ଡା ଠାରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାୟଙ୍କ ସହିତ ଏକ ବିଶାଳ ନିର୍ବାଚନୀ ଜନସଭାକୁ ସମ୍ବୋଧନ କରି ଶ୍ରୀ ମିଶ୍ର, ନବୀନ ପଟ୍ଟନାୟକଙ୍କର ବିଜୁ ଜନତା ଦଳ ସରକାର ଓଡ଼ିଶାରେ “ଏଇଟ ପିଏମ୍- ନୋ ସିଏମ୍” ଶାସନ ଚଳାଇଥିବା ଦର୍ଶାଇଛନ୍ତି। ଏହାର ଅର୍ଥ ରାତି ୮ ଟା ବାଜିଲେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାର ଜନସାଧାରଣଙ୍କ ପାଇଁ ବନ୍ଦ ହୋଇଯାଉଥିବା ସେ ଅଭିଯୋଗ କରିଛନ୍ତି।ଅପରପକ୍ଷରେ ଛତିଶଗଡ଼ର ଜନପ୍ରିୟ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାୟଙ୍କ ନିକଟକୁ ରାତି ୧୨ଟାରେ ମଧ୍ୟ କୌଣସି ଲୋକ ଗଲେ ସେ ତାଙ୍କୁ ଆତ୍ମୀୟତାର ସହିତ ଭେଟୁଥିବା ଶ୍ରୀ ମିଶ୍ର ଦର୍ଶାଇଥିଲେ। ଏଣୁ ନବୀନଙ୍କ ଭଳି ଅପାରଗ ଓ ଅପଦାର୍ଥ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ଗାଦିଚ୍ୟୁତ କରି ରାଜ୍ୟରେ ପରିବର୍ତ୍ତନ ଆଣିବାକୁ ପୁରନ୍ଦର ମିଶ୍ର ନିବେଦନ କରିଥିଲେ।


ଏହି ବିରାଟ ବିଜୟ ସଂକଳ୍ପ ସମାବେଶରେ ଉଦବୋଧନ ଦେଇ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାୟ, ଦୀର୍ଘ ୨୪ ବର୍ଷର ଶାସନ ମଧ୍ୟରେ ଯେଉଁ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଭାଷା, ଖାଦ୍ୟପେୟ, ଚାଲିଚଳନକୁ ଆପଣେଇ ନପାରିଲେ, ସେ ଲୋକଙ୍କର ଆବଶ୍ୟକତାକୁ କିପରି ବୁଝିବେ ବୋଲି ପ୍ରଶ୍ନ କରିଥିଲେ।ରାଜ୍ୟରେ ଡବଲ ଇଞ୍ଜିନ ସରକାର ପ୍ରତିଷ୍ଠା କରି ବିଜେପି ନେତୃତ୍ୱରେ ଓଡ଼ିଶାକୁ ଏହାର ହକ ପ୍ରଦାନ କରିବା ସହିତ, ଏଠାରେ ବିକାଶର ଗତିକୁ ଶୀର୍ଷ ସ୍ତରରେ ପହୁଂଚାଇବାକୁ ଶ୍ରୀ ସାୟ ଆଗ୍ରହ ପ୍ରକାଶ କରିଥିଲେ। ରାଜ୍ୟରେ ବିଜେପି ସରକାର ଶାସନକୁ ଆସିଲେ ମୋଦୀଙ୍କର ଗ୍ୟାରେଣ୍ଟି ଭାବରେ ଚାଷୀମାନଙ୍କୁ ଧାନ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା, ମହିଳା ମାନଙ୍କୁ ବାର୍ଷିକ ୫୦ ହଜାର ଟଙ୍କା, ବୟସ୍କ, ଭିନ୍ନକ୍ଷମ ଏବଂ ବୁଣାକାର ମାନଙ୍କୁ ୩୦୦୦ ଟଙ୍କାର ଭତ୍ତା, ଛୋଟମୋଟ ଧନ୍ଦା କରୁଥିବା ଲୋକମାନଙ୍କୁ ୫୦ ହଜାର ଟଙ୍କାର ଋଣ, ରାଜ୍ୟର ୨୫ ଲକ୍ଷ ନାରୀଙ୍କୁ ଲକ୍ଷପତି ଦିଦିର ମାନ୍ୟତା ଏବଂ ୫ ଲକ୍ଷ ବେକାର ଯୁବକଙ୍କୁ ରୋଜଗାର ପ୍ରଦାନ କରାଯିବ ବୋଲି ଶ୍ରୀ ସାୟ ଘୋଷଣା କରିଥିଲେ।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକସଭା ପାଇଁ ପ୍ରାର୍ଥୀ ହେବା ସମ୍ବଲପୁରବାସୀଙ୍କର ସୌଭାଗ୍ୟ ବୋଲି ସୂଚାଇ ଶ୍ରୀ ସାୟ, ଶ୍ରୀ ପ୍ରଧାନଙ୍କୁ ଏବଂ କୁଚିଣ୍ଡାର ବିଧାୟକ ପ୍ରାର୍ଥୀ ରବି ନାରାୟଣ ନାୟକଙ୍କୁ ବହୁ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ। ସଭାରେ ଭାଷଣ ଦେଇ ଛତିଶଗଡ଼ ରାଜ୍ୟ ବିଜେପିର ଉପ – ସଭାପତି ଶିବ ରତନ ଶର୍ମା, ପୋଖରୀର ପାଣିକୁ ଦୀର୍ଘକାଳ ପର୍ଯ୍ୟନ୍ତ ବଦଳା ନଗଲେ,ଯେପରି ଏହା ଗୋଳିଆ ହୋଇ ବ୍ୟବହାର ପାଇଁ ଅନୁପଯୋଗୀ ହୋଇପଡ଼େ, ଓଡ଼ିଶା ସରକାରଙ୍କର ଆଜି ସେହି ଦଶା ଉପୁଜିଥିବା ଦର୍ଶାଇ ଏଠାରେ ଯଥାଶୀଘ୍ର ଶାସନରେ ପରିବର୍ତ୍ତନ ଆଣିବାକୁ ଅନୁରୋଧ କରିଥିଲେ। ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ବିଜେପିର ବରିଷ୍ଠ ନେତ୍ରୀ ରୂପ କୁମାରୀ ଚୌଧୁରୀ, ରଞ୍ଜନ ପଟେଲ, ବୃନ୍ଦାବନ ମାଂଝୀ, ଶୈଳେନ୍ଦ୍ର ନାୟକ, ଯୁବରାଜ କିଶାନ୍, କାହ୍ନୁ ନାଏକ ଓ ସୁଶିଲ କର ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।
